Monday, March 18, 2019

କାଉଁରୀ କନ୍ୟା

ପ୍ରିୟା ବୁଝେନା  ପ୍ରୀତି ମାନେନା
       ବୁଝି ବୁଝି ପ୍ରେମ କେବେ ହୁଏନା
ପ୍ରିୟାର ପରଶ  ସକାଳ ଅଳସ
       ଛାଡିବାକୁ ମନ ଆଜି ହୁଏନା  ||

ସୂର୍ଯ୍ୟ ଆଖିରେ ଜହ୍ନ କାହିଁକି
       ଅଞ୍ଜନ ବୋଳି ଯାଏ
ମୋ ମନ ଆକାଶେ କୁଆଁତାରା  ପରି
       ତୁମ ସ୍ମୃତି ରହି ଥାଏ    ||

ତୁମକୁ ଗୋ ପ୍ରିୟା ଦେଖିବା ଆଜକୁ
       ହେଲା କାହିଁ କେତେ ଦିନ
ପ୍ରହେଳିକା ପରି ନ ଆସ ସପନେ
       ବୁଝେନା ଆଉ ମୋ ମନ  ||

ଇନ୍ଦ୍ରଧନୁର ସପ୍ତ ରଙ୍ଗରେ
        ତୁମକୁ ଦେଖିଚି ମୁହିଁ
ସୂର୍ଯ୍ୟ ଆଲୋକେ  ନ ପାରଇ ଆଉ
         କାନ୍ତି ବଦନ ଚାହିଁ  ||

ବର୍ଷା ରାଣୀ ର ଜୁଆରୀ ଆଖି ରେ
        ଆସ ଅଞ୍ଜନ ବୋଳି 
ପଲକ ପଡିଲେ ଚାଲିଯାଅ କାହିଁ
        କାଉଁରୀ କନ୍ୟା ଭଳି  ||

ସବୁ ରାତି ଭଳି ଏ ରାତି ବି ଯିବ
        ତୁମ କଥା ଭାବି ଭାବି
ତୁମ ଠାରୁ ପଦେ 'ତୁମେ' ପଦ ପାଇଁ
         ଆଜୀବନ ଚାହିଁଥିବି   ||
                           
                           ଦେବୀ ପ୍ରସାଦ ମିଶ୍ର

ଦିଗହଜା ଦିଗବଳୟ

ମୁଁ ପୁଣି ଖୋଜିବାକୁ ଆସିଛି
ଦିଗ, ଏକ ଦିଗହଜା ଦିଗ୍ବଳୟ ର
ସ୍ବପ୍ନ ର ବିକ୍ଷିପ୍ତ ବାଲୁକା ରାଶି ର
ଆଉ ସୀମାହୀନ ଉତକ୍ଷିପ୍ତ ସମୁଦ୍ର ର
            ମୁଁ ପୁଣି ଖୋଜିବାକୁ ଆସିଛି
            ଦିଗ, ଏକ ଦିଗହଜା ଦିଗ୍ବଳୟ ର ||

ମୋ ମନରେ  ଉଦ୍ ବେଳିତ ଅନେକ ଆଶା
ହୃଦୟରେ ସଂଚିତ ଚେନାଏ ଅଭିପ୍ସା
ମୁଠାଏ ସ୍ୱପ୍ନର ଅଳସି ଭାଷା
ସବୁକିଛି ବିକ୍ଷିପ୍ତ ବିଲିୟାର୍ଡ୍ସ ଗୋଟି ପରି
            ଦିଗ ତ ଅନେକ ତଥାପି
            ମତେ ଖୋଜିବାକୁ ପଡିବ
            ଦିଗ, ଏକ ଦିଗହଜା ଦିଗ୍ବଳୟ ର ||

ବିସ୍ତୀର୍ଣ୍ଣ ସାଗରର ହାଲୁକା ଲହଡି
ସିଆଚୀନ ଉପତ୍ୟକା ର ଶ୍ବେତ କୁହୁଡି
ଆଉ ନଦୀ ତଟ ର ଉନ୍ମତ୍ତ କଇଁଛ ଧାଡି
ସମସ୍ତେ ଦିଗହଜା , ଦିଗହୀନ
ଐଶାନ୍ୟ , ନୈଋତ .ଅଗ୍ନି , ବାୟୁ
ସବୁ ମୋ ସନ୍ଧାନ ପରିଧିରେ
            ତଥାପି ମୋର ଲୋଡ଼ା
            ଦିଗ, ଏକ ଦିଗହଜା ଦିଗ୍ବଳୟ ର ||
                             
                                                ଦେବୀ ପ୍ରସାଦ ମିଶ୍ର 

Tuesday, March 12, 2019

କବି ଆଉ କବିତା

କହିଲେ କହିବ କହିଲା ବୋଲି
ବାଟକୁ ଦୋଷୀବ ନଜାଣି ଚାଲି
ଅଳପ ବୋଲି , ଦୋଷ କୁ ଠେଲି
କବି ପକାଇଲେ କବିତା ପାଲି  ||

ପଥୁରିଆ ବଡ କବିତା ପଥ
ନେତାଙ୍କୁ କୁହେ ସେ ଲୋକଙ୍କ ବଥ
ସତ କୁ ମିଛ , ମିଛ କୁ ସତ
କହି ମାରିଚାଲେ ନେତାଙ୍କୁ ନାତ  ||

ବଗିଚା ଭିତରେ କି ହାଟ ମଝିରେ
ଯାହାକୁ ପାଇଲେ ତାକୁ କହିଲେ
କବିତା ନ ହେଲା ଝାଞ୍ଜି ବହିଲା
ଅଂଶୁଘାତ ପରି ଲୋକେ ସହିଲେ ||

ଭକତ ଭିଡରେ କବିତା ଝଡ ରେ
ପାନ ଦୋକାନୀ ର ନାଲି ଓଠ ରେ
ଠାକୁର ରହିଲେ କ୍ୟାମେରା ସର୍ଟ ରେ
ଲୋକ କହିଲେ କବିତା ବଳରେ
ରଥ ରହିଗଲା ବଡ ଦାଣ୍ଡରେ ||

ପ୍ରେମ ବେପାର ରେ କବି ବେପାରୀ
କୁଞ୍ଜବନ ଠାରୁ ଶାଗ କିଆରୀ
ସବୁଠି ଲାଗିଲା କବି ମନ ଡୋରି
ରାଧା ହାତ ଧରି , ନିତ୍ୟ ରାସ ସାରି
କବି ହେଇଯାଏ ବୈକୁଣ୍ଠ ବିହାରୀ ||

ବଡ ଠାକୁର ବି କିଛି କମ ନୁହେଁ
ତା ରାଗ ରୁଷା ଦେବଦାସୀ ସହେ
ନାଚ ସହ ଟିକେ ଗୀତ ବି ଚାହେଁ
କି ବଡଦାଣ୍ଡ କି ଅଣସର
କବିତା ରସ ର ବନ୍ୟା ବହେ ||
                             ଦେବୀ ପ୍ରସାଦ ମିଶ୍ର