Monday, March 18, 2019

କାଉଁରୀ କନ୍ୟା

ପ୍ରିୟା ବୁଝେନା  ପ୍ରୀତି ମାନେନା
       ବୁଝି ବୁଝି ପ୍ରେମ କେବେ ହୁଏନା
ପ୍ରିୟାର ପରଶ  ସକାଳ ଅଳସ
       ଛାଡିବାକୁ ମନ ଆଜି ହୁଏନା  ||

ସୂର୍ଯ୍ୟ ଆଖିରେ ଜହ୍ନ କାହିଁକି
       ଅଞ୍ଜନ ବୋଳି ଯାଏ
ମୋ ମନ ଆକାଶେ କୁଆଁତାରା  ପରି
       ତୁମ ସ୍ମୃତି ରହି ଥାଏ    ||

ତୁମକୁ ଗୋ ପ୍ରିୟା ଦେଖିବା ଆଜକୁ
       ହେଲା କାହିଁ କେତେ ଦିନ
ପ୍ରହେଳିକା ପରି ନ ଆସ ସପନେ
       ବୁଝେନା ଆଉ ମୋ ମନ  ||

ଇନ୍ଦ୍ରଧନୁର ସପ୍ତ ରଙ୍ଗରେ
        ତୁମକୁ ଦେଖିଚି ମୁହିଁ
ସୂର୍ଯ୍ୟ ଆଲୋକେ  ନ ପାରଇ ଆଉ
         କାନ୍ତି ବଦନ ଚାହିଁ  ||

ବର୍ଷା ରାଣୀ ର ଜୁଆରୀ ଆଖି ରେ
        ଆସ ଅଞ୍ଜନ ବୋଳି 
ପଲକ ପଡିଲେ ଚାଲିଯାଅ କାହିଁ
        କାଉଁରୀ କନ୍ୟା ଭଳି  ||

ସବୁ ରାତି ଭଳି ଏ ରାତି ବି ଯିବ
        ତୁମ କଥା ଭାବି ଭାବି
ତୁମ ଠାରୁ ପଦେ 'ତୁମେ' ପଦ ପାଇଁ
         ଆଜୀବନ ଚାହିଁଥିବି   ||
                           
                           ଦେବୀ ପ୍ରସାଦ ମିଶ୍ର

No comments: