Saturday, May 7, 2011

ମୁଁ କହେ .............

ମୁଁ ସମୟ କହେ .......
ଖାରବେଳ ର ଅସ୍ତିତ୍ବ
ଆଉ ଦେବଦାସୀ ର ଆତ୍ମା କହେ
ଅପହୃତ ହିମଶୃଙ୍ଗ , ପୁଣି ଲୁଣ୍ଠିତ କାଶ୍ମୀର
ଅଥବା ତରଙ୍ଗାୟିତ ବାଲିର ମରୁଯାତ୍ରୀ କହେ
କୋହ ଚାପି ନିଜ ବକ୍ଷ ରେ
କୋଟିଏ ଭୋକିଲା ପୁତ୍ରର ଜନନୀ
ଆଉ ଶତ୍ରୁ ଗୁଳିରେ ନିହତ ଯବାନ କହେ 
              ହାତେ ଆମ ବାସୁଦେବର ଶୃଙ୍ଖଳ
              ମନେ ଆମ ଶକୁନି ର ପଶାଖେଳ
କଂସ - ଦୁର୍ୟୋଧନ ନୁହେଁ
ମୁଁ କୃଷ୍ଣ - ସୁଦାମା କହେ       ||

ମୁ ଇତିହାସ କହେ .........
ଶିବାଜୀ ର ଶୌର୍ଯ୍ୟ
ଆଉ ଝାଂସି ର ବୀର ମାଟି କହେ
ନୀରବ ନିଃସହାୟ କୁତବ ମୀନାର
ପ୍ରେମ ସୌଧ ତାଜ ମହଲ ଅଥବା
ଜରା ଜର୍ଜରିତ ମହେଞ୍ଜୋଦାରୋ କହେ
                 ଇତିହାସ ର ଫର୍ଦ ଅବା କାନଭାସ ର ରଙ୍ଗ କରନା
                 ଶୁଣିଯାଅ ଆମ ଆର୍ତ୍ତନାଦ ଆଉ ହେଳା କରନା
ଘୋରୀ କିମ୍ବା ଚଣ୍ଡାଶୋକ ନୁହେଁ
ମୁଁ କୋଣାର୍କ ର ମୁଖଶାଳା
ଆଉ ନାଳନ୍ଦା ର ଭଗ୍ନସ୍ତୁପ କହେ     ||

                                             ଦେବୀ ପ୍ରସାଦ ମିଶ୍ର

ମୁଁ ମାନବିକତା କହେ .............
ମଦର ଟେରେସା ର ବୃଦ୍ଧା ହାତ
ଆଉ ସାବର ମତୀ ଆଶ୍ରମ କହେ
ଆନନ୍ଦ ବଜାର ର ଅଭଡ଼ା କୁଡୁଆ
ଆଉ ଶାନ୍ତି ନିକେତନ ର ପରିବେଶ କହେ
ମୁଁ ବିକ୍ଷିପ୍ତ ମାନବ ର ବିଲୁପ୍ତ ଆତ୍ମା କହେ
                  ଲୋଡ଼ା ନାହିଁ ମୋର ଆଉ ଏକ ପୋଖରାଣ
                  ମୁଁ  ନାସିକ - କୁମ୍ଭ ର ଅମୃତ ଆଉ ବଡ ଦେଉଳ ର କୈବଲ୍ୟ ଚାହେଁ
WTO ର ଭଗ୍ନ ସୌଧ ଅବା
ରାମଜନ୍ମଭୁମି -ବାବ୍ରି ମସଜିଦ ର ପ୍ରାଚୀର ନୁହେଁ
                    ମୁଁ  ଚିକାଗୋ ର ଶାନ୍ତି ସୌଧ ଆଉ
                    ଆଜି ର ସମଝୋତା ଏକ୍ସପ୍ରେସ କହେ    ||

                                                               ଦେବୀ ପ୍ରସାଦ ମିଶ୍ର 

No comments: