Tuesday, May 10, 2011

ନିର୍ବାଣ .........

ସନ୍ଧାନ ମୋର ବନ୍ଧନେ ଆଜି
ବକ୍ଷୁ ନିଗାଡେ  ଲହୁ
ବର୍ଦ୍ଧିତ ଛାୟା ନିଁଭୃତେ କାୟା
ଯୁଦ୍ଧ କରିବ କାହୁଁ    ||

କଙ୍କାଳ ଯା' ର ବ୍ୟଙ୍ଗ ସହେନି
ବ୍ୟଗ୍ର ହୁଏ ସେ କାହିଁ
ସଂଦିହାନତା ଅସ୍ତିତ୍ବ ସାରା
ଉତଥାନ ନାହିଁ ନାହିଁ   ||

ପରାଣ ଅର୍ଥ 'ଅର୍ଥ' ଯାହାର
ସ୍ବପ୍ନ ତା ରାମ ରାଜ୍ୟ
ସ୍ୱାର୍ଥପରତା ଅନ୍ଧ କୂପରେ
ପକାଏ ପ୍ରଜାର ନାଯ୍ୟ  ||

'ଅଗ୍ନି' ର ବର୍ଷା 'ନାଗ' ର ତୃଷ୍ଣା
ଦିଏ ଗାଣ୍ଡୀବ ଟଙ୍କାର
ବ୍ୟର୍ଥ ମୋ ପାଇଁ ସବୁ ପୋଖରାଣ
ବ୍ୟର୍ଥ ତା ରଣ ହୁଙ୍କାର   ||

ଚାହେଁ ନା ମୁଁ  ଏଠି କୁରୁ-ସଭା ଛାମୁ
ଚାହେଁ ନା ମୁଁ ପଶାଖେଳ
ଅଙ୍କେ ଯାହାର ଶଙ୍କେ ମୋ ପ୍ରାଣ
ଗଡେ ନିର୍ବାଣ ବେଳ  ||

ଚିତ୍କାର ମୋର ଏରସମା ଠାରୁ
ମରୁ ପ୍ରାନ୍ତର ଯାଏଁ
ଚାରୁ ଚଞ୍ଚଳା  କାଶ୍ମୀର କାହିଁ
ନିଶ୍ଚଳ ଆଜି ହୁଏ   ||

ରେଳ ଘର୍ଘର କାହିଁ ଶୁଭେ ମତେ
ଏତେ ବର୍ବର ଆଜି
ବିଜ୍ଞାନ କଣ ପାରୁନାହିଁ ଆଜି
ସର୍ବଗ୍ରାସୀ କୁ ଖୋଜି  ||

ଅମୃତ ଚାହେଁ ଅମୃତ ମୟ
କୋଟିଏ ଜୀବ ର ପ୍ରାଣ
ନିସ୍ତାର ଚାହେଁ ଧ୍ବଂସ ମୁଖରୁ
ଦୁର୍ବାର ଅବା ନିର୍ବାଣ   ||
     
                        ଦେବୀ ପ୍ରସାଦ ମିଶ୍ର 

No comments: