Sunday, July 26, 2020

ନିରବତା ପୂର୍ବରୁ ....

ଦୀପାଳି ର ଦୀପ ଲିଭିବା ପରର
                                        ଧୂଆଁଳିଆ ଘିଅ ବାସ୍ନା 
ଗୋଧୂଳି ପରର ଧୂସରିଆ ଆଉ
                                       ନାଲି ମିଶା ସେଇ ଜ୍ୟୋତ୍ସ୍ନା

ହାତ ଧରି କୁହେ ନିରବତା କୋଳେ ଶରୀର କୁ ତୋଳି ଦିଅ
ପାଦ ଚିପି ଚିପି ଶୁନ୍ୟତା ତୁମେ ମନ କୁ ସାଉଁଟି ନିଅ   ||

ବେଳାଭୂମି ତୀରେ ଓଦା ବାଲୁକା ରେ
                                               ଲିଭୁ ଥିବା ପାଦ ଚିହ୍ନ
କଳା  ମେଘ ପଛେ ଲୁଚି ଯାଉଥିବା
                                                ଲାଜେଇ କୁଆଁରୀ ଜହ୍ନ
ଦେଉଳ ବେଢାରେ ପହଡ଼ ପରର
                                                ପାଦର ବିକ୍ଷିପ୍ତ ଧୂଳି
ଆଉ କେତେବେଳେ ବିଗତ ପ୍ରିୟାର
                                                 ଅଛିଣ୍ଡା ଅଲୋଡ଼ା କଳି

ହାତ ଧରି କୁହେ ନିରବତା କୋଳେ ଶରୀର କୁ ତୋଳି ଦିଅ
ପାଦ ଚିପି ଚିପି ଶୁନ୍ୟତା ତୁମେ ମନ କୁ ସାଉଁଟି ନିଅ   ||
                                                                 --------------------
                                                                 ଦେବୀ ପ୍ରସାଦ ମିଶ୍ର
                                                                 --------------------

Saturday, June 8, 2019

My Daughter

If ever there is tomorrow when we're not together...
there is something you must always remember.
YOU ARE BRAVER THAN YOU BELIEVE,
STRONGER THAN YOU SEEM,
AND SMARTER THAN YOU THINK
But the most important thing is 
even if we're apart...
I'll always be with you
                          With Love Papa

Monday, March 18, 2019

କାଉଁରୀ କନ୍ୟା

ପ୍ରିୟା ବୁଝେନା  ପ୍ରୀତି ମାନେନା
       ବୁଝି ବୁଝି ପ୍ରେମ କେବେ ହୁଏନା
ପ୍ରିୟାର ପରଶ  ସକାଳ ଅଳସ
       ଛାଡିବାକୁ ମନ ଆଜି ହୁଏନା  ||

ସୂର୍ଯ୍ୟ ଆଖିରେ ଜହ୍ନ କାହିଁକି
       ଅଞ୍ଜନ ବୋଳି ଯାଏ
ମୋ ମନ ଆକାଶେ କୁଆଁତାରା  ପରି
       ତୁମ ସ୍ମୃତି ରହି ଥାଏ    ||

ତୁମକୁ ଗୋ ପ୍ରିୟା ଦେଖିବା ଆଜକୁ
       ହେଲା କାହିଁ କେତେ ଦିନ
ପ୍ରହେଳିକା ପରି ନ ଆସ ସପନେ
       ବୁଝେନା ଆଉ ମୋ ମନ  ||

ଇନ୍ଦ୍ରଧନୁର ସପ୍ତ ରଙ୍ଗରେ
        ତୁମକୁ ଦେଖିଚି ମୁହିଁ
ସୂର୍ଯ୍ୟ ଆଲୋକେ  ନ ପାରଇ ଆଉ
         କାନ୍ତି ବଦନ ଚାହିଁ  ||

ବର୍ଷା ରାଣୀ ର ଜୁଆରୀ ଆଖି ରେ
        ଆସ ଅଞ୍ଜନ ବୋଳି 
ପଲକ ପଡିଲେ ଚାଲିଯାଅ କାହିଁ
        କାଉଁରୀ କନ୍ୟା ଭଳି  ||

ସବୁ ରାତି ଭଳି ଏ ରାତି ବି ଯିବ
        ତୁମ କଥା ଭାବି ଭାବି
ତୁମ ଠାରୁ ପଦେ 'ତୁମେ' ପଦ ପାଇଁ
         ଆଜୀବନ ଚାହିଁଥିବି   ||
                           
                           ଦେବୀ ପ୍ରସାଦ ମିଶ୍ର

ଦିଗହଜା ଦିଗବଳୟ

ମୁଁ ପୁଣି ଖୋଜିବାକୁ ଆସିଛି
ଦିଗ, ଏକ ଦିଗହଜା ଦିଗ୍ବଳୟ ର
ସ୍ବପ୍ନ ର ବିକ୍ଷିପ୍ତ ବାଲୁକା ରାଶି ର
ଆଉ ସୀମାହୀନ ଉତକ୍ଷିପ୍ତ ସମୁଦ୍ର ର
            ମୁଁ ପୁଣି ଖୋଜିବାକୁ ଆସିଛି
            ଦିଗ, ଏକ ଦିଗହଜା ଦିଗ୍ବଳୟ ର ||

ମୋ ମନରେ  ଉଦ୍ ବେଳିତ ଅନେକ ଆଶା
ହୃଦୟରେ ସଂଚିତ ଚେନାଏ ଅଭିପ୍ସା
ମୁଠାଏ ସ୍ୱପ୍ନର ଅଳସି ଭାଷା
ସବୁକିଛି ବିକ୍ଷିପ୍ତ ବିଲିୟାର୍ଡ୍ସ ଗୋଟି ପରି
            ଦିଗ ତ ଅନେକ ତଥାପି
            ମତେ ଖୋଜିବାକୁ ପଡିବ
            ଦିଗ, ଏକ ଦିଗହଜା ଦିଗ୍ବଳୟ ର ||

ବିସ୍ତୀର୍ଣ୍ଣ ସାଗରର ହାଲୁକା ଲହଡି
ସିଆଚୀନ ଉପତ୍ୟକା ର ଶ୍ବେତ କୁହୁଡି
ଆଉ ନଦୀ ତଟ ର ଉନ୍ମତ୍ତ କଇଁଛ ଧାଡି
ସମସ୍ତେ ଦିଗହଜା , ଦିଗହୀନ
ଐଶାନ୍ୟ , ନୈଋତ .ଅଗ୍ନି , ବାୟୁ
ସବୁ ମୋ ସନ୍ଧାନ ପରିଧିରେ
            ତଥାପି ମୋର ଲୋଡ଼ା
            ଦିଗ, ଏକ ଦିଗହଜା ଦିଗ୍ବଳୟ ର ||
                             
                                                ଦେବୀ ପ୍ରସାଦ ମିଶ୍ର 

Tuesday, March 12, 2019

କବି ଆଉ କବିତା

କହିଲେ କହିବ କହିଲା ବୋଲି
ବାଟକୁ ଦୋଷୀବ ନଜାଣି ଚାଲି
ଅଳପ ବୋଲି , ଦୋଷ କୁ ଠେଲି
କବି ପକାଇଲେ କବିତା ପାଲି  ||

ପଥୁରିଆ ବଡ କବିତା ପଥ
ନେତାଙ୍କୁ କୁହେ ସେ ଲୋକଙ୍କ ବଥ
ସତ କୁ ମିଛ , ମିଛ କୁ ସତ
କହି ମାରିଚାଲେ ନେତାଙ୍କୁ ନାତ  ||

ବଗିଚା ଭିତରେ କି ହାଟ ମଝିରେ
ଯାହାକୁ ପାଇଲେ ତାକୁ କହିଲେ
କବିତା ନ ହେଲା ଝାଞ୍ଜି ବହିଲା
ଅଂଶୁଘାତ ପରି ଲୋକେ ସହିଲେ ||

ଭକତ ଭିଡରେ କବିତା ଝଡ ରେ
ପାନ ଦୋକାନୀ ର ନାଲି ଓଠ ରେ
ଠାକୁର ରହିଲେ କ୍ୟାମେରା ସର୍ଟ ରେ
ଲୋକ କହିଲେ କବିତା ବଳରେ
ରଥ ରହିଗଲା ବଡ ଦାଣ୍ଡରେ ||

ପ୍ରେମ ବେପାର ରେ କବି ବେପାରୀ
କୁଞ୍ଜବନ ଠାରୁ ଶାଗ କିଆରୀ
ସବୁଠି ଲାଗିଲା କବି ମନ ଡୋରି
ରାଧା ହାତ ଧରି , ନିତ୍ୟ ରାସ ସାରି
କବି ହେଇଯାଏ ବୈକୁଣ୍ଠ ବିହାରୀ ||

ବଡ ଠାକୁର ବି କିଛି କମ ନୁହେଁ
ତା ରାଗ ରୁଷା ଦେବଦାସୀ ସହେ
ନାଚ ସହ ଟିକେ ଗୀତ ବି ଚାହେଁ
କି ବଡଦାଣ୍ଡ କି ଅଣସର
କବିତା ରସ ର ବନ୍ୟା ବହେ ||
                             ଦେବୀ ପ୍ରସାଦ ମିଶ୍ର 

Sunday, February 10, 2019

ପ୍ରିୟା ଓ ଛାଇ

ବାଟରେ ବାଟରେ
ଚାଲୁ ଚାଲୁ ଯେବେ
ତୁମ କଥା ମାନେ ପଡି ଯାଏ
ବୁଲିକି ଚାହିଁଲେ
ଛାଇ କୁ ମୋର
ତୁମ ମୁହଁ ଦିଶି ଯାଏ   !!

ଛାଇ ପରି ତୁମେ
ପାଖେ  ପାଖେ ମୋର
ସବୁ ବେଳେ ରହି ଥାଅ
ଅନ୍ଧାର ଟିକିଏ ଆସିଲେ ମାଡି
ମୁହଁ ମୋଡି ଚାଲି ଯାଅ  !!

Tuesday, May 10, 2011

ନିର୍ବାଣ .........

ସନ୍ଧାନ ମୋର ବନ୍ଧନେ ଆଜି
ବକ୍ଷୁ ନିଗାଡେ  ଲହୁ
ବର୍ଦ୍ଧିତ ଛାୟା ନିଁଭୃତେ କାୟା
ଯୁଦ୍ଧ କରିବ କାହୁଁ    ||

କଙ୍କାଳ ଯା' ର ବ୍ୟଙ୍ଗ ସହେନି
ବ୍ୟଗ୍ର ହୁଏ ସେ କାହିଁ
ସଂଦିହାନତା ଅସ୍ତିତ୍ବ ସାରା
ଉତଥାନ ନାହିଁ ନାହିଁ   ||

ପରାଣ ଅର୍ଥ 'ଅର୍ଥ' ଯାହାର
ସ୍ବପ୍ନ ତା ରାମ ରାଜ୍ୟ
ସ୍ୱାର୍ଥପରତା ଅନ୍ଧ କୂପରେ
ପକାଏ ପ୍ରଜାର ନାଯ୍ୟ  ||

'ଅଗ୍ନି' ର ବର୍ଷା 'ନାଗ' ର ତୃଷ୍ଣା
ଦିଏ ଗାଣ୍ଡୀବ ଟଙ୍କାର
ବ୍ୟର୍ଥ ମୋ ପାଇଁ ସବୁ ପୋଖରାଣ
ବ୍ୟର୍ଥ ତା ରଣ ହୁଙ୍କାର   ||

ଚାହେଁ ନା ମୁଁ  ଏଠି କୁରୁ-ସଭା ଛାମୁ
ଚାହେଁ ନା ମୁଁ ପଶାଖେଳ
ଅଙ୍କେ ଯାହାର ଶଙ୍କେ ମୋ ପ୍ରାଣ
ଗଡେ ନିର୍ବାଣ ବେଳ  ||

ଚିତ୍କାର ମୋର ଏରସମା ଠାରୁ
ମରୁ ପ୍ରାନ୍ତର ଯାଏଁ
ଚାରୁ ଚଞ୍ଚଳା  କାଶ୍ମୀର କାହିଁ
ନିଶ୍ଚଳ ଆଜି ହୁଏ   ||

ରେଳ ଘର୍ଘର କାହିଁ ଶୁଭେ ମତେ
ଏତେ ବର୍ବର ଆଜି
ବିଜ୍ଞାନ କଣ ପାରୁନାହିଁ ଆଜି
ସର୍ବଗ୍ରାସୀ କୁ ଖୋଜି  ||

ଅମୃତ ଚାହେଁ ଅମୃତ ମୟ
କୋଟିଏ ଜୀବ ର ପ୍ରାଣ
ନିସ୍ତାର ଚାହେଁ ଧ୍ବଂସ ମୁଖରୁ
ଦୁର୍ବାର ଅବା ନିର୍ବାଣ   ||
     
                        ଦେବୀ ପ୍ରସାଦ ମିଶ୍ର